Tuesday 2 October 2018
ମାଓ ଦୌରାତ୍ମ୍ୟ
ମାଓ ଦୌରାତ୍ମ୍ୟ ଦମନରେ କେନ୍ଦ୍ର ଓ ରାଜ୍ୟ ସରକାର ସଫଳ ହୋଇଥିଲେ ସୁଦ୍ଧା ସେମାନେ ପୁଣି ସକ୍ରିୟ ହେଉଛନ୍ତି । କିଛି ଦିନର ବ୍ୟବଧାନପରେ ମାଓବାଦୀ ମାନେ ପୁଣି ମାତିଛନ୍ତି । ରବିବାର ଦିନ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଜିଲ୍ଲାରେ ମାଓବାଦୀଙ୍କ ଗୁଳିରେ ଶାସକ ଟିଡିପିର ଜଣେ ବିଧାୟକ ଓ ଜଣେ ପୂର୍ବତନ ବିଧାୟକ ପ୍ରାଣ ହରାଇବା ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ, ମାଓବାଦୀମାନେ ଏତେ ଶୀଘ୍ର ହାର ମାନିବା ସମ୍ଭବ ନୁହେଁ । କିଛି ସମୟ ପାଇଁ ସେମାନେ ସୁପ୍ତ ଅବସ୍ଥାରେ ଥିଲେ ଏବଂ ନୂଆ ଆକ୍ରମଣାତ୍ମକ ଯୋଜନା ପାଇଁ ଶକ୍ତି ସଞ୍ଚୟ କରୁଥିଲେ । ଏବେ ମଉକା ପାଇଁ ସେମାନେ ପୁଣି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଏହା ଆନ୍ଧ୍ରପ୍ରଦେଶରେ କେବଳ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିନାହିଁ, ସୁରକ୍ଷା ବାହିନୀ ପ୍ରତି ଆହ୍ୱାନ ମଧ୍ୟ ସୃଷ୍ଟି କରିଛି । ଏହା ପରେ ଆନ୍ଧ୍ର-ଓଡ଼ିଶା ସୀମାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଏହି ଘଟଣା ଆମ ଗୁଇନ୍ଦା ବ୍ୟବସ୍ଥାର ସୁର୍ବଳତାକୁ ପୁଣି ପ୍ରମାଣିତ କରିଛି । ଏହା ସହିତ ମାଓ ଉପଦ୍ରୁତ ଅଞ୍ଚଳରେ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ ଏବଂ ମାଓବାଦୀମାନଙ୍କ ଗତିବିଧି ଉପରେ ଅଧିକ ଲକ୍ଷ୍ୟ ରଖିବାର ଆବଶ୍ୟକତାକୁ ଅନୁଭବ କରାଇଛି । ମାଓବାଦୀଙ୍କ ଆକ୍ରମଣର ଶୀକାର ହୋଇଥିବା ଟିଡିପିର ଦୁଇନେତାଙ୍କ ବିରୋଧରେ ଦୁର୍ନୀତି ଓ ଖଣି ମାଫିଆଙ୍କ ସହ ସମ୍ପର୍କ ରକ୍ଷା ଅଭିଯୋଗ ହୋଇଥିଲା । କିନ୍ତୁ ସେମାନଙ୍କୁ ହତ୍ୟା କଲେ ସମସ୍ୟାର ସମାଧାନ ହୋଇଯିବ ନାହିଁ । ଜଣେ ଦୁର୍ନୀତିଗ୍ରସ୍ତ ବା ଶୋଷଣକାରୀ ହତ୍ୟାର ଶୀକାର ହେଲେ ତାଙ୍କ ସ୍ଥାନରେ ନୂଆ ବ୍ୟକ୍ତି ଶୂନ୍ୟସ୍ଥାନ ପୂରଣ କରିବାକୁ ଆଗେଇ ଆସିବେ । କୋ÷ଣସି ନେତା ବା ବ୍ୟକ୍ତିକୁ ହତ୍ୟା କଦାପି କୋ÷ଣସି ସମସ୍ୟାକୁ ଦୂର କରିପାରେନା । ବ୍ୟବସ୍ଥାରେ ପରିବର୍ତ୍ତନ ନହେଲେ ସମାଜ ପରିବର୍ତ୍ତନ ଅସମ୍ଭବ । ତେଣୁ ମାଓବାଦୀମାନେ ଯଦି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କ ପ୍ରାଣ ନାଶ କରି, ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରି ସମାଜରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ତେବେ ଏହା କଦାପି ସଫଳ ହେବ ନାହିଁ । ଏଥିପାଇଁ ଗଣତାନ୍ତ୍ରିକ ଉପାୟରେ ଜନଜାଗରଣ ଓ ଗଣଆନ୍ଦୋଳନ ଆବଶ୍ୟକ । ମାଓବାଦୀମାନେ ଆନ୍ଧ୍ରପ୍ରଦେଶରେ ଶାସକ ଦଳର ଦୁଇଜଣ ନେତାଙ୍କୁ ହତ୍ୟା କରିବା ନିନ୍ଦନୀୟ ଏବଂ ଏହା ଆଇନ ଦୃଷ୍ଟିରୁ ଗର୍ହିତ ଅପରାଧ । ଅତୀତରେ ଏମିତି ଅନେକ ଆକ୍ରମଣ ହୋଇଛି । ଅନେକ ନିର୍ବାଚିତ ଜନପ୍ରତିନିଧିଙ୍କୁ ହତ୍ୟା କରାଯାଇଛି ବା ହତ୍ୟା ଉଦ୍ୟମ ହୋଇଛି । ୨୦୦୩ରେ ଅବିଭକ୍ତ ଆନ୍ଧ୍ରପ୍ରଦେଶର ତକ୍ରାଳିନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ହତ୍ୟା ପାଇଁ ମାଓବାଦୀମାନେ କରିଥିଲେ ଉଦ୍ୟମ । ଏଥିରୁ ସେ ଅଳ୍ପକେ ବର୍ତ୍ତିଗଲେ । ସେହିପରି ଛତିଶଗଡ଼ରେ ଏକ ବଡ଼ ଧରଣର ମାଓ ଆକ୍ରମଣରେ ଅବିଭକ୍ତ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ୟାମାଚରଣ ଶୁକ୍ଳା ପ୍ରାଣ ହରାଇଥିଲେ । କିଛି ବର୍ଷ ତଳେ ମାଓବାଦୀମାନେ ଓଡ଼ିଶାର ଜଣେ ବିଧାୟକ(ବର୍ତ୍ତମାନ ସାଂସଦ) ଓ ଜଣେ ଜିଲ୍ଲାପାଳଙ୍କୁ ଅପହରଣ କରି ମୁଣ୍ଡ ଜାମିନ୍ ରଖ୍ିଥିଲେ । କିନ୍ତୁ ମାଓବାଦୀମାନେ ଏହା ଦ୍ୱାରା କିଛି ଲାଭ ପାଇଲେ କି? ଏହା ଦ୍ୱାରା ସେମାନଙ୍କର ଳକ୍ଷ୍ୟ, ଉଦ୍ଦେଶ୍ୟ ପୂରଣ ହୋଇପାରିଲା ନା ସେମାନଙ୍କର ଆଦର୍ଶ ପ୍ରତିଷ୍ଠିତ ହୋଇପାରିଲା । ସମୟ ବଦଳିଛି, ଏବେ ସଶସ୍ତ୍ର ସଂଗ୍ରାମ ଦ୍ୱାରା କୋ÷ଣସି ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ । ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଓଡ଼ିଶା, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଆଦି ରାଜ୍ୟରେ ମାଓବାଦୀଙ୍କ ବିରୋଧରେ ରାଜ୍ୟ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀର କ୍ରମାଗତ ଅଭିଯାନ ଫଳରେ ସେମାନେଏବେ ଚାପରେ ଅଛନ୍ତି । ସ୍ଥାନୀୟ ଅଧିବାସୀ ବିଶେଷକରି ଆଦିବାସୀ ମାନଙ୍କ ସମର୍ଥନ ଓ ସହାନୁଭୂତି ସେମାନଙ୍କ ପ୍ରତି କମୁଛି । ତେଣୁ ମାଓବାଦୀମାନେ ଏବେ ସେମାନଙ୍କୁ ଭୟଭୀତ କରି ନିଜ ସପକ୍ଷରେ ରକିବାକୁ ଉଦ୍ୟମ କରୁଛନ୍ତି । ସେମାନେ ଭୟଭୀତ ଓ ଦୁର୍ବଳ ଏହାକୁ ମାନିବାକୁ ସେମାନେ ନାରାଜ୍ । ଏଭଳି ଧାରଣାକୁ ଭୂଲ୍ ପ୍ରମାଣିତ କରିବା ପାଇଁ ସେମାନେ ଏବେ ଯୋରଦାର ପ୍ରୟାସ କରୁଛନ୍ତି । ଏଥିପାଇଁ ବିଭିନ୍ନ ସ୍ଥାନରେ ସେମାନେ ହତ୍ୟା, ବିସ୍ଫୋରଣ ଓ ଅପହରଣ କରୁଛନ୍ତି । ନିରୀହ, ନିରସ୍ତ୍ର ବ୍ୟକ୍ତିଙ୍କୁ ଶୀକାର କରୁଛନ୍ତି । ଏହା ନିହାତି କାପୁରୁଷୋଚିତ କାର୍ଯ୍ୟ ଏବଂ ନିନ୍ଦନୀୟ । ମାଓବାଦୀମାନେ ଏବେ ସେମାନଙ୍କ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ, ଅସ୍ତ୍ରଶସ୍ତ୍ର ସଂଗ୍ରହ କରିବାକୁ ନିଶା କାରବାରକୁ ଅର୍ଥ ସଂଗ୍ରହର ମୁଖ୍ୟ ମାଧ୍ୟମ କରିଛନ୍ତି । ଚୋରା ନିଶା କାରବାର କରି ସେମାନେ କୋଟି କୋଟି ଟଙ୍କା ସଂଗ୍ରହ କରୁଛନ୍ତି । ଏହାର ବଡ଼ ଅଂଶ ସେମାନେ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଏବଂ ଅନ୍ୟ ଯନ୍ତ୍ରପାତି ତଥା ମାଓବାଦୀଙ୍କ ପାଇଁ ଆବଶ୍ୟକ ପଡ଼ୁଥିବା ଅନ୍ୟାବଶ୍ୟକ ସାମଗ୍ରୀ କିଣୁଛନ୍ତି । ଆଉ ଟପ୍ ମାଓନେତାମାନେ ଏହି ଅର୍ଥରେ ବେଶ ଅୟସ ବିଳାସରେ ଜୀବନ ଅତିବାହିତ କରୁଛନ୍ତି ।
Subscribe to:
Post Comments (Atom)
No comments:
Post a Comment