Sunday, 23 September 2018

ଲାଲ ତାଣ୍ଡବ


ିଶାଖାପାଟଣା, ୨୩/୯ : କିଛି ଦିନର ବ୍ୟବଧାନ ପରେ ପୁଣି ମାଓବାଦୀଙ୍କ ଲାଲତାଣ୍ଡବ ଦେଖିବାକୁ ମିଳିଛି  । ଆନ୍ଧ୍ରପ୍ରଦେଶର ଦୁଇ ଜଣ ଲୋକ ପ୍ରତିନିଧିଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି  । ଆନ୍ଧ୍ରର ଟିଡିପି ବିଧାୟକ କେ.ସର୍ବେଶ୍ୱର ରାଓ ଏବଂ ପୂର୍ବତନ ଟିଡିପି ବିଧାୟକ ଶିବେରି ସୋମାଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି  । ଡୁମୁରିଗୁଡ଼ାରେ ଏକ ବିବାହ ଭୋଜିରେ ଯୋଗ ଦେଇ କାରରେ ଫେରୁଥିବାବେଳେ ଥୁଟାଙ୍ଗୀ ନିକଟରେ ପ୍ରାୟ ୬୦ ଜଣ ମାଓବାଦୀ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ  । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି  । ଟିଡିପି ବିଧାୟକ କେ.ସର୍ବେଶ୍ୱର ରାଓ (୪୫) ଆରାକୁ ଆଦିବାସୀ ବହୁଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ହୋଇଥିବାବେଳେ ତାଙ୍କ ସହଯୋଗୀ ତଥା ପୂର୍ବତନ ବିଧାୟକ ଶିବେରୀ ସୋମା (୫୨) ବିଶାଖାପାଟଣା ଠାରୁ ୧୨୫ କି.ମି. ଥୁଟାଙ୍ଗୀ ଗ୍ରାମରୁ ଫେରୁଥିବାବେଳେ ସଶସ୍ତ୍ର ମାଓବାଦୀ ସେମାନଙ୍କ ଗାଡ଼ିକୁ ଅଟକାଇ ଗୁଳି କରିଥିଲେ  । ସେମାନଙ୍କ ମୁଣ୍ଡ ଓ ଛାତି ଉପରକୁ ଗୁଳିମାଡ଼ ହୋଇଥିଲା  । ଫଳରେ ଘଟଣାସ୍ଥଳରେ ହିଁ ସେଦୁହିଁଙ୍କ ମୃତ୍ୟୁ ଘଟିଥିଲା  । ସୂଚନାଥାଉ କି, ଆରାକୁରେ ୨୦୧୪ରେ ୱାଇଏସ୍‍ଆର୍‍ କଂଗ୍ରେସ ଟିକେଟ୍‍ରୁ ଲଢ଼ିଥିଲେ ସର୍ବେଶ୍ୱର ରାଓ ଏବଂ ଟିଡିପି ଟିକଟରୁ ଲଢ଼ିଥିଲେ ସୋମା  । କିନ୍ତୁ ସର୍ବେଶ୍ୱର ବିଜୟୀ ହୋଇଥିଲେ ଓ ପରେ ଟିଡିପିରେ ଯୋଗ ଦେଇଥିଲେ  । ଗତ ଜୁଲାଇ ମାସରେ ସର୍ବେଶ୍ୱରଙ୍କ ଶାଳକଙ୍କ ବିରୁଦ୍ଧରେ ଖଣି ଦୁର୍ନୀତି ଅଭିଯୋଗରେ ସ୍ଥାନୀୟ ଆଦିବାସୀମାନେ ବିରୋଧ କରିଥିଲେ  । ଏହି ଘଟଣାରେ ଆନ୍ଧ୍ର-ଓଡ଼ିଶା ସିପିଆଇ ମାଓ ସଂଗଠନର ହାତ ଥିବା ବିଶାଖାପାଟଣା ଡିଆଇଜି ସୂଚନା ଦେଇଛନ୍ତି  । ଏହି ଘଟଣା ପଛରେ ମାଓନେତା ରାମକ୍ରୀଷ୍ଣାର ହାତ ଥିବା କୁହାଯାଉଛି  । ଏହି ଘଟଣା ପରେ ବିଧାୟକଙ୍କ ସମର୍ଥକ ମାନେ ପୁଲିସର ଅବହେଳାକୁ ଦାୟୀ କରି ଡୁମୁରିଗୁଡ଼ା ପୁଲିସ ଥାନା ଜାଳି ଦେଇଥିବାବେଳେ ମାଓ ଆକ୍ରମଣରେ ନିହତ ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ଶବକୁ ମଧ୍ୟ ଉତ୍ତ୍ୟକ୍ତ ଲୋକେ ଛାଡ଼ୁନାହାନ୍ତି  । ପରେ ପରେ ଦୁଇ ପ୍ଲାଟୁନ ପୁଲିସ ଉକ୍ତ ଗାଁରେ ପହଞ୍ôଚଛନ୍ତି । ସମଗ୍ର ଅଂଚଳ ପୁଲିସ ଛାଉଣିରେ ପରିଣତ ହୋଇଛି । ମାଓବାଦୀଙ୍କୁ ଧରିବା ପାଇଁ ଏଠାରେ ବଡ଼ ଧରଣର ସର୍ଚ୍ଚ ଅପରେସନ୍‍ ଆରମ୍ଭ ହୋଇଥିବାରୁ ମାଓବାଦୀମାନେ ଓଡ଼ିଶା ଏବଂ ଛତିଶଗଡ଼କୁ ପ୍ରବେଶ କରିବାର ଯଥେଷ୍ଟ ଆଶଙ୍କା ରହିଛି  । ଓଡିଶାର ଆଇଜି ଅପରେସନ୍‍ ଆର୍‍.ପି.କୋଚ୍ଚେ କହିଛନ୍ତି ଯେ, ଆନ୍ଧ୍ର ଘଟଣା ପରେ ଓଡ଼ିଶା ସୀମାରେ ନିରାପତ୍ତା ବୃଦ୍ଧି କରାଯାଇଛି  । ସୀମାରେ ଥିବା ସମସ୍ତ ପୁଲିସ ପୋଷ୍ଟକୁ ସଜାଗ କରାଯାଇଛି  । ବିଏସ୍‍ଏଫ୍‍, ଏସ୍‍ଓଜି ଏବଂ ସିଆର୍‍ପିଏଫ୍‍ ଯୱାନମାନଙ୍କୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି  ।

No comments:

Post a Comment