Sunday 23 September 2018

ଆନ୍ଧ୍ରରେ ପୁଣି ମାଓହିଂସା


ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବ ନାହିଁ । ଦେଶର ବିକାଶରେ ଅନ୍ତରାୟ ସାଜିଥିବା ନକ୍ସଲଙ୍କୁ କ୍ଷମା ନୁହେଁ, ଆଲୋଚନା ବି ନୁହେଁ; ବରଂ ଅସ୍ତ୍ରରେ ଜବାବ ଦେବାକୁ ପଡ଼ିବ । ଏହା ଆମର ଉକ୍ତି ନୁହେଁ, ସୁରକ୍ଷା ଅଧିକାରୀମାନଙ୍କ ସ୍ୱଗତୋକ୍ତି । ଆନ୍ଧ୍ରର ଟିଡିପି ବିଧାୟକ କେ.ସର୍ବେଶ୍ୱର ରାଓ ଏବଂ ପୂର୍ବତନ ଟିଡିପି ବିଧାୟକ ଶିବେରି ସୁମାଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ଡୁମୁରିଗୁଡ଼ାରେ ଏକ ବିବାହ ଭୋଗଜିରେ ଯୋଗ ଦେଇ ଫେରୁଥିବାବେଳେ ତଟାଙ୍ଗୀ ନିକଟରେ ପ୍ରାୟ ୬୦ ଜଣ ମାଓବାଦୀ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି । ଟିଡିପି ବିଧାୟକ କେ.ସର୍ବେଶ୍ୱର ରାଓ (୪୫) ଆରାକୁ ଆଦିବାସୀ ବହୁଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ହୋଇଥିବାବେଳେ ତାଙ୍କ ସହଯୋଗୀ ତଥା ପୂର୍ବତନ ବିଧାୟକ ଶିବେରୀ ସୋମା (୫୨) ବିଶାଖାପାଟଣା ଠାରୁ ୧୨୫ କି.ମି. ଥୁଟାଙ୍ଗୀ ଗ୍ରାମକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାବେଳେ ପ୍ରାୟ ୬୦ ଜଣ ସଶସ୍ତ୍ର ମାଓବାଦୀ ସେମାନଙ୍କ ଗାଡ଼ିକୁ ଅଟକାଇ ଗୁଳି କରି ବୀଭତ୍ସ ଭାବେ ହତ୍ୟା କରିଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଗଣତନ୍ତ୍ର ପାଇଁ ବିପଦ । ଓଡ଼ିଶାର ରାଜନୈତିକ ଇତିହାସରେ ମଧ୍ୟ ପୂର୍ବରୁ ଏଭଳି ଘଟଣା ଘଟିଛି । ୨୦୧୧ ସେପ୍ଟେମ୍ବର ୨୩ରେ ଠିକ ୭ ବର୍ଷ ତଳେ ଲୋକଙ୍କ ଗହଣରେ ବସି ସେମାନଙ୍କ ପାଇଁ କାର୍ଯ୍ୟ କରୁଥିବାବେଳେ ଉମରକୋଟର ତତକାଳୀନ ଯୁବ ବିଧାୟକ ଜଗବନ୍ଧୁ ମାଝୀଙ୍କୁ ଆତତାୟୀ ମାଓବାଦୀମାନେ ଗୁଳିକରି ହତ୍ୟା କରିଥିଲେ । କୌଣସି ଜନପ୍ରତିନିଧିଙ୍କୁ ଏଭଳି ହତ୍ୟା କରିବା କିଛି ନୂଆ ଘଟଣା ନୁହେଁ । ବିଧାୟକଙ୍କୁ ଯେଉଁଭଳି ଟାର୍ଗେଟ କରାଯାଉଛି, ତାହା ସୁପରିକଳ୍ପିତ ଥିବା ନିଃସନ୍ଦେହ । ବିଧାୟକ ବା ଜନପ୍ରତିନିଧିମାନେ ଆଦିବାସୀଙ୍କ ମଙ୍ଗଳପାଇଁ ପାରୁପର୍ଯ୍ୟନ୍ତ ଲଢ଼ିଥାନ୍ତି । ଗଣତନ୍ତ୍ର ପାଇଁ ଲୋକଙ୍କ ମନରେ ଆସ୍ଥା ଓ ବିଶ୍ୱାସ ସୃଷ୍ଟି କରିଥାନ୍ତି । ଆଦିବାସୀଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିଥାନ୍ତି । ଯାହା ମାଓବାଦୀଙ୍କୁ ପସନ୍ଦ ନୁହେଁ । ଏଠାରେ ମନେ ପକାଇଦେବା ଉଚିତ ହେବ ଯେ ନକ୍ସଲ ଅଧ୍ୟୁଷିତ ଅଞ୍ଚଳର ଲୋକପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇ ଦେବାପାଇଁ କେନ୍ଦ୍ର ସରକାର କିଛି ବର୍ଷ ତଳେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ଆଜିର ଘଟଣା ପରେ ସ୍ପଷ୍ଟ ହୋଇଛି ଯେ ସେହି ନିର୍ଦ୍ଦେଶନାମାକୁ ଠିକ୍‍ ରୂପେ ପାଳନ କରାଯାଇନାହିଁ କିମ୍ବା ନିୟମାବଳୀରେ ଏପର୍ଯ୍ୟନ୍ତ ଦୁର୍ବଳତା ରହିଛି । ତେଣୁ ଏ ନେଇ ପୁଣିଥରେ ବିଚାରାଲୋଚନା କରାଯିବା ଆବଶ୍ୟକ । ଏହି ନିର୍ଦେଶନାମାର କେତୋଟି ପ୍ରମୁଖ ତଥା ପ୍ରାସଙ୍ଗିକ ଅଂଶ ହେଲା: ପ୍ରଥମ, ନକ୍ସଲ ଅଧ୍ୟୁଷିତ ଜିଲାର ଏସ୍‍ପିଙ୍କ ସହିତ ପରାମର୍ଶ କରିବାପରେ ହିଁ କୌଣସି ସାଧାରଣ ସଭା କରାଯିବ । ଏସ୍‍ପି ସଭାସ୍ଥଳ ଓ ସେଠାକୁ ଯିବାପାଇଁ ରାସ୍ତା ନିର୍ଦ୍ଧାରଣ କରିବେ । ସଭାପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଜଗବନ୍ଧୁଙ୍କ ସଭା କ୍ଷେତ୍ରରେ ଏହା ଠିକ୍‍ରୂପେ ପାଳନ ହୋଇଛି ନା ନାହିଁ, ତାହା ଗୁରୁତ୍ୱପୂର୍ଣ୍ଣ । କାରଣ ଅର୍ଦ୍ଧସହସ୍ର ଜନତା ଉପସ୍ଥିତ ଥିବା ସ୍ଥାନରେ ଆଇନଶୃଙ୍ଖଳା ସମ୍ଭାଳିବାକୁ ମଧ୍ୟ ଅଧିକ ସୁରକ୍ଷା ଅଧିକାରୀଙ୍କ ଆବଶ୍ୟକତା ରହିଛି । ମାଓବାଦୀ ଅଞ୍ଚଳରେ ସବୁବେଳେ ସୁରକ୍ଷାକୁ କଡ଼ାକଡ଼ି କରାଯିବା ଜରୁରୀ । ଏହି ଘଟଣା ପାଇଁ ରାଜ୍ୟ ସରକାର ମଧ୍ୟ କିଛି ମାତ୍ରାରେ ଦାୟୀ । ରାଜ୍ୟର ପ୍ରଗତି ଓ ସମୃଦ୍ଧି ପାଇଁ ଶାସକ ଦଳକୁ ପ୍ରଶଂସା କରାଯାଇଥାଏ । ଅନୁରୂପ ଭାବେ ଯଦି ରାଜ୍ୟରେ ବିଶୃଙ୍ଖଳା, ଅରାଜକତା, ହିଂସାକାଣ୍ଡ ବଢିବା ସହ ଶାସନ ବ୍ୟବସ୍ଥାରେ ସ୍ଥାଣୁତା ଦେଖାଯାଏ ଓ ପ୍ରଗତି ପରାହତ ହୁଏ, ତା'ହେଲେ ଏଥିପାଇଁ ଶାସକ ଦଳ ନିନ୍ଦିତ ହୋଇଥାଏ । ଆନ୍ଧ୍ରରେ କିଛିବର୍ଷ ତଳେ ଯେଉଁ ନେତା ଓ ଦଳକୁ ଲୋକେ ପ୍ରଶଂସା କରୁଥିଲେ, ଏବେ ସମାଲୋଚନା କରିବା ଆରମ୍ଭ କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ଆନ୍ଧ୍ର ସରକାରଙ୍କ ଶାସନରେ ସ୍ଥାଣୁତା ଅନୁଭୂତ ହେଉଛି । ବିରୋଧୀ ଦଳଙ୍କ ନିରବତା ଯୋଗୁଁ ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ଶୂନ୍ୟତାର ଫାଇଦା ନେଇଚାଲିଛି ଶାସକ ଦଳ । ଦଳୀୟ କନ୍ଦଳ ଓ ଆଭ୍ୟନ୍ତରୀଣ ଗୋଡ଼ଟଣା ନୀତି ଜନତାଙ୍କ ନିକଟରେ ଏକ ଉତ୍ତମ ବିକଳ୍ପ ଦେଖାଉନି । ଆଗକୁ ନିର୍ବାଚନ ଆସୁଛି ସତ; ହେଲେ ଏଥିରୁ କେତେ ଫାଇଦା ବିରୋଧୀ ଉଠାଇବେ, ତାହା ଏକ ପ୍ରଶ୍ନବାଚୀ । ଗୋଟିଏ ଦଳର ଶାସନକୁ ଲୋକେ ଅତୀତରେଦେଖିଛନ୍ତି । ଯଦି ସେଭଳି ଆକର୍ଷଣୀୟ ନେତୃତ୍ୱ ଆଗକୁ ନରହେ, ତେବେ ଜନତାଙ୍କ ମନ ଜିତିବା କଷ୍ଟକର । ଶାସକ ଦଳର ବିଧାୟକଙ୍କୁ ଯେଭଳି ସ୍ପଷ୍ଟ ଦିବାଲୋକରେ ଓ ଶହ ଶହ ଲୋକଙ୍କ ଉପସ୍ଥିତିରେ ଗୁଳିକରି ହତ୍ୟା କରାଗଲା, ତାହା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ଏକ ଉପହାସ ନୁହେଁକି? ଯେଉଁଠି ଶାସକ ଦଳର ବିଧାୟକ ସୁରକ୍ଷିତ ନୁହଁନ୍ତି, ସେଠି ସାଧାରଣ ଲୋକଙ୍କ ସୁରକ୍ଷାର ସ୍ଥିତି କ’ଣ ତାହା ସହଜେ ଅନୁମେୟ । ତାଙ୍କୁ ମାଓବାଦୀ ହତ୍ୟା କରନ୍ତୁ କିମ୍ବା ହତ୍ୟାକାଣ୍ଡ ପଛର କାରଣ କୌଣସି ରାଜନୈତିକ ଶତ୍ରୁତା ଅଥବା ଆଦିବାସୀ-ବଙ୍ଗୀୟ ଶରଣାର୍ଥୀ ବିବାଦ ତଥା ବ୍ୟାବସାୟିକ ପ୍ରତିଦ୍ୱଦ୍ୱିତା ଥାଇପାରେ, ତାହା ଭିନ୍ନ କଥା; ମାତ୍ର ଏଭଳି ଅମାନବୀୟ କାଣ୍ଡ ଯେ ଗୁଇନ୍ଦା ବିଫଳତା ତାହା ସ୍ପଷ୍ଟ । ଜଣେ ବିଧାୟକଙ୍କୁ ମାଓବାଦୀମାନେ ରାସ୍ତାରେ ଘେରିଯିବା ଓ ହତ୍ୟା କରିବା ସମ୍ପର୍କରେ ପୁଲିସ ନଜାଣି ପରିବା ଆନ୍ଧ୍ର ପ୍ରଶାସନର ପାରିବାରପଣିଆ ପ୍ରତି ଏକ ଚାଲେଞ୍ଜ ନୁହେଁକି? ମାମଲାର ନିରପେକ୍ଷ ତଦନ୍ତ କରାଯିବା ଉଚିତ । ବିଧାୟକ ସର୍ବେଶ୍ୱର ଓ ଜଣେ ପୂର୍ବତନ ବିଧାୟକଙ୍କ ହତ୍ୟା ପରେ ହଠାତ୍‍ ବିଭାଗୀୟ ତତ୍ପରତା ପ୍ରକାଶ କୁମ୍ଭୀର କାନ୍ଦଣା ନୁହେଁ କି? ଜନପ୍ରତିନିଧିଙ୍କ ସୁରକ୍ଷା ନେଇ ଯଦି ସରକାର ପୂର୍ବରୁ ସର୍ତ୍ତାବଳୀ କାର୍ଯ୍ୟକାରୀ କରୁଥିଲେ, ତେବେ ଏଭଳି ଘଟଣା ବିଧାୟକ ସର୍ବେଶ୍ୱର ଓ ଜଣେ ପୂର୍ବତନ ବିଧାୟକଙ୍କ କ୍ଷେତ୍ରରେ କିଭଳି ଘଟିଲା? ତେଣୁ ସୁରକ୍ଷା ବ୍ୟବସ୍ଥାରେ ଖିଲାପ ହୋଇଛି । ପ୍ରଶାସନ ମଧ୍ୟ ଏହି ଘଟଣାରେ ଦାୟୀ । ଏବେ ଆସିବା ମାଓଦମନ ପ୍ରସଙ୍ଗକୁ । ନକ୍ସଲ ସଂଗଠନ ଯେ ଅତ୍ୟନ୍ତ ଦୁର୍ବଳ ତଥା ଅସହାୟ ହୋଇ ପଡ଼ିଲାଣି ତାହା ସେମାନଙ୍କର ଏଭଳି ଲୁଚାଛପା ଆକ୍ରମଣରୁ ପ୍ରମାଣିତ ହେଉଛି । ଯେଉଁ ଆଦର୍ଶ ଓ ସାମ୍ୟବାଦୀ ଚିନ୍ତାଧାରା ଲାଲ୍‍ ସଂଗଠନର ଭିତ୍ତିଭୂମି ଥିଲା ସଂପ୍ରତି, ସେମାନେ କେବଳ ଏହି ଧାରାରୁବିଚ୍ୟୁତ ହୋଇ ନାହାନ୍ତି, ବରଂ ସେମାନଙ୍କର ପାଦତଳୁ ମାଟି ଖସିଯାଇଛି । ସଂଗଠନ ସ୍ଥିତିକୁ ଜାହିର କରିବା ଓ ଜନସାଧାରଣଙ୍କ ମଧ୍ୟରେ ଭୟ, ଆତଙ୍କ ସୃଷ୍ଟି କରିବା ନିମନ୍ତେ ଅସହାୟ ମାଓବାଦୀ ଏଭଳି ଅଘଟଣ ଘଟାଇ ଚାଲିଛନ୍ତି । କିଛି ସମୟର ବ୍ୟବଧାନ ଭିତରେ ନିରୀହ ଲୋକମାନଙ୍କ ଉପରେ ଏଭଳି ଆକ୍ରମଣ କରିବା ଲାଲ୍‍ ବାହିନୀର ଏବେ ଏକ ଅସହାୟତା ପାଲଟିଗଲାଣି । ଗଣତନ୍ତ୍ର ଉପରେ ବିଶ୍ୱାସ ନରଖି ହିଂସା ଓ ବନ୍ଧୁକ ମୁନରେ ସ୍ୱରାଜ୍ୟର ସ୍ୱପ୍ନ ଦେଖୁଛନ୍ତି ମାଓବାଦୀ । ଲୋକତନ୍ତ୍ର ଓ ଜନାଧାରକୁ ନେଇ ସରକାର ଗଠନ ହୋଇଛି । ଯଦି ଏଥିରେ କିଛି ସମସ୍ୟା, ଅଭିଯୋଗ କିମ୍ବା ତ୍ରୁଟି ରହୁଛି ତାହା ହେଲେ ନିର୍ବାଚନରେ ଭାଗ ନେଇ ମାଓବାଦୀ ସଂଗଠନ ଜରିଆରେ ଏମାନେ ଜନତାଙ୍କ ପ୍ରତିନିଧିତ୍ୱ କରୁନାହାନ୍ତି କାହିଁକି? ମାଓବାଦୀମାନେ ବୁଝିବା ଦରକାର ଯେ, ହିଂସାକୁ ଅସ୍ତ୍ର କରି ଓ ଗଣତନ୍ତ୍ରର ପଥରୋଧ କରିବା ପାଇଁ ଉଦ୍ଦିଷ୍ଟ ଆନ୍ଦୋଳନ କେବେ ସଫଳ ହୋଇପାରିବନାହିଁ । କାରଣ ଦିନେ ନା ଦିନେ ରାଷ୍ଟ୍ର ଆହୁରି ଅଧିକ ହିଂସା ପ୍ରୟୋଗ କରି ଏହାକୁ ଦମନ କରିବ । ଏହା ବ୍ୟତୀତ ହିଂସାର ଭୟଙ୍କର ରୂପ ସାଧାରଣ ଲୋକମାନଙ୍କୁ, ଏପରିକି ଯେଉଁ ଗରିବ ଲୋକମାନଙ୍କ ସ୍ୱାର୍ଥ ପାଇଁ ଏ ଆନ୍ଦୋଳନ ଅଭିପ୍ରେତ ସେମାନଙ୍କୁ, ଆନ୍ଦୋଳନଠାରୁ ଦୂରେଇ ରଖିବ । ମାଓବାଦୀ ସେମାନଙ୍କ ପତିଆରା ଜାହିର କରିବାକୁ ଗଣତନ୍ତ୍ରର ବାଟ ଓଗାଳିବାକୁ ଚାହୁଛନ୍ତି ତେଣୁ ସାଧାରଣରେ ପୁଣି ଭୟ ସୃଷ୍ଟି କରିଛନ୍ତି । ଯେଉଁ ସଂଗଠନ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସମ୍ମାନ ଦେଉନି, ମୁଖ୍ୟସ୍ରୋତକୁ ଆସି ଜାତୀୟ ତଥା ଆଞ୍ଚଳିକ ବିକାଶରେ ସହଯୋଗ କରୁନି, ସେମାନଙ୍କ ପ୍ରତି କୋହଳ ଆଭିମୁଖ୍ୟ ପୋଷଣ ଆଦୌ ସମିଚୀନ ନୁହେଁ । ତେଣୁ କେନ୍ଦ୍ର-ରାଜ୍ୟ ସରକାରମାନେ ମାନବିକତା ବିରୋଧୀ ଏହି ଲାଲବାହିନୀକୁ ମୂଳପୋଛ କରିବାର ଏକକ କାର୍ଯ୍ୟକ୍ରମ ଗ୍ରହଣ କରନ୍ତୁ । ଆଉ ଭାଷଣରେ ନୁହେଁ, ଯିଏ ବନ୍ଧୁକର ଭାଷା ଭିନ୍ନ ଅନ୍ୟକିଛି ବୁଝେନା, ତାକୁ ଅନୁରୂପ ଜବାବ ଦେବାର ସମୟ ଆସିଛି । ମାଓବାଦୀମାନେ ବୁଝିବା ଦରକାର ଯେ, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଦାବି ହାସଲ ଲାଗି ନିରୀହ ଜୀବନ ସହ ଖେଳିବାର ଅଧିକାର କାହାରିକୁ ଦିଆଯାଇନି । ଏକଦା ଆନ୍ଧ୍ର ମାଓବାଦୀଙ୍କ ଗଡ ଥିଲା । ଏବେ ବି ଓଡିଶା, ଛତିଶଗଡ, ଝାରଖଣ୍ଡ ଓ ମହାରାଷ୍ଟ୍ରରେ ଯେଉଁ ମାଓସଂଗଠନଗୁଡିକ ସକ୍ରିୟ ଅଛନ୍ତି ସେଗୁଡିକର ଆକ୍କାଆନ୍ଧ୍ରରେ ବସିଛନ୍ତି । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଅତୀତରେ ମାଓ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଥିଲେ । ତା’ପରଠାରୁ ‘ଗ୍ରେ ହାଉଣ୍ଡ’ ଅପରେସନ ଦ୍ୱାରା ମାଓବାଦୀଙ୍କ ଉପରେ ନିୟନ୍ତ୍ରଣ ମିଳିଥିଲା ଏବଂ ଆନ୍ଧ୍ରରେ ବହୁ ସଂଖ୍ୟକ ମାଓବାଦୀଙ୍କୁ ନିପାତ କରିବା ପରେ ଏହି ରାଜ୍ୟଟି ମାଓହିଂସାରୁ ଆପାତତଃ ମୁକ୍ତ ରହିଥିଲା । କିନ୍ତୁ ଏହି ଘଟଣାରୁ ସ୍ପଷ୍ଟ ହେଉଛି ଯେ, ମାଓବାଦୀମାନେ ପୁଣି ଆନ୍ଧ୍ରରେ ସକ୍ରିୟ ହେଉଛନ୍ତି । ହେଲେ ଆନ୍ଧ୍ରପ୍ରଦେଶରେ ସୃଷ୍ଟି ହୋଇଥିବା ନକ୍ସଲ ଆନ୍ଦୋଳନକୁ ରାଜ୍ୟ ସରକାର ବନ୍ଧୁକମୁନରେ ଦୃଢ ଦମନ କରିଥିଲେ । ଏବେ ଏଥିରେ ଶିଥିଳତା ଦେଖିବାକୁ ମିଳିଥିଲା । ଆନ୍ଧ୍ରରେ ଗ୍ରେ ହାଉଣ୍ଡ ଅଭିଯାନ ପୁଣି ଆରମ୍ଭ ହେବା ଉଚିତ । ବିକାଶ ଆଳରେ ଜୁଲୁମ କରୁଥିବା ମାଓବାଦୀଙ୍କୁ ନିପାତ କରିବାରେ କେନ୍ଦ୍ର ସରକାର ମଧ୍ୟ ମାଓ ପ୍ରଭାବିତ ରାଜ୍ୟମାନଙ୍କୁ ଆହୁରି ଅଧିକ ସହାୟତା କରନ୍ତୁ । ମାଓବାଦୀ ମଧ୍ୟ ଜାଣି ରଖିବା ଉଚିତ ଯେ, ବିକାଶ ଆଳରେ ଜୁଲୁମ କରିବା ଓ ଚାନ୍ଦା ଆଦାୟ କରିବା କଷ୍ଟକର ନୁହେଁ, କିନ୍ତୁ ଲୋକଙ୍କ ଦୁଆରକୁ ଯାଇ ସେମାନଙ୍କ ହୃଦୟ ଜିଣି ବିକାଶ ନାଆଁରେ ସେମାନଙ୍କ ସମର୍ଥନ ହାସଲ କରିବା ଅତ୍ୟନ୍ତ କଷ୍ଟକର । ତେଣୁ ରାଜନୀତିର ରଣକ୍ଷେତ୍ରରୁ ପଳାୟନପନ୍ଥୀ ହୋଇ ସେମାନେ ଜଙ୍ଗଲ ଯୁଦ୍ଧ ଚଳାଇଛନ୍ତି । ଏହା ଯେ ଆଦିବାସୀ, ଦଳିତ, ପଛୁଆ ବର୍ଗ, ଉପାନ୍ତ ଓ ଦୁର୍ଗମ ଅଞ୍ଚଳର କୌଣସି ପ୍ରଗତି କରିପାରିବ ନାହିଁ ତାହା ଜନତା ତ ବୁଝିସାରିଲେଣି; ଲାଲ୍‍ବାହିନୀ ବୁଝୁ, ନଚେତ୍‍ ପୂର୍ବାଞ୍ଚଳରୁ ବିଲୁପ୍ତ ହୋଇସାରିଥିବା ଏହି ଉଗ୍ରବାଦୀ ସଂଗଠନ ଦେଶବ୍ୟାପୀ ମୂଳପୋଛ ହେବାକୁ ବେଷି ସମୟ ଲାଗିବନାହିଁ । ଏଠି ସେଠି ମଣିଷ ମାରୁଥିବା ମାଓବାଦୀଙ୍କୁ ବୀର ନ କହି କାପୁରୁଷ କୁହାଯାଉ ।

No comments:

Post a Comment